ଓଡ଼ିଆ ଉଇକିପିଡ଼ିଆ: ତିନି ବର୍ଷର ସକ୍ରିୟ ଅବଦାନ ୧୦ ବର୍ଷର ପ୍ରକଳ୍ପକୁ ପୁନର୍ଜୀବନ ଦେଲା

ଭୁବନେଶ୍ୱରର କିସ ଠାରେ ଓଡ଼ିଆ ଉଇକିପିଡ଼ିଆର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ଏକଜୁଟ ହୋଇଥିବା ଉଇକିଆଳି ମାନଙ୍କର ଏକ ଫଟୋ

ଓଡ଼ିଆ ଉଇକିପିଡ଼ିଆ ୨୯ ଜାନୁଆରୀରେ ଏହାର ୧୦ ବର୍ଷ ପୂରଣ କଲା । ୨୦୦୪ରେ ଏହା ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଆରମ୍ଭ ହେଇଥିଲେ ମଧ୍ୟ, ଏଥିରେ ପ୍ରକୃତ ଅର୍ଥରେ ଲେଖାଲେଖି ୨୦୧୧ରେ ଆରମ୍ଭ ହେଇଥିଲା । ସେତେବେଳେ ୫୫୦ଟି ଯାହିତାହି ପ୍ରସଙ୍ଗ ଏବଂ କହିବାକୁ ଗଲେ ଜଣେ ମଧ୍ୟ ସକ୍ରିୟ ସଭ୍ୟ ନଥିଲେ । ତତ୍କାଳୀନ ପରିସ୍ଥିତିରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଲାଗି ଉଇକିଆଳିଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅଧିକ ଲୋକ ଇଣ୍ଟରନେଟ ତଥା ବିଶେଷ ଭାବେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଓ ଓଡ଼ିଆରେ ଲେଖିବା ପାଇଁ ଅଧିକ ଇନପୁଟ ପ୍ରଣାଳୀ ଆସିବା ଦ୍ଵାରା ଏହି ଗୋଷ୍ଠୀଗତ ପ୍ରକଳ୍ପଟି ଲୋକଲୋଚନାକୁ ଆସିବାକୁ ଲାଗିଲା । ଓଡ଼ିଆ ଉଇକିପିଡ଼ିଆର ଫେସବୁକ ପୃଷ୍ଠା ଏବଂ ଗୋଠ ଅଧିକ ଲୋକମାନଙ୍କର ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ ସାମାଜିକ ଦ୍ଵାର ହୋଇଥିଲା । ଇଉନିକୋଡ଼ରେ ଲେଖା ହୋଇ ଇଣ୍ଟରନେଟରେ ଉପଲବ୍ଧ ଥିବା ଲେଖା ଏହି ଭାଷାରେ ପ୍ରାୟତଃ କିଛି ନାହିଁ ବା ବହୁତ କମ । ଅନ୍ୟ ଭାଷାଭାଷୀ ଲୋକମାନଙ୍କ ତୁଳନାରେ ଏହି ଭାଷାରେ ଉପଲବ୍ଧ ଥିବା ଛବି, ଭିଡ଼ିଓ ଓ ଅଡ଼ିଓ ମିଡ଼ିଆଗୁଡ଼ିକ ବହୁତ କମ । ଏବେ ମଧ୍ୟ ବହୁତ ଲୋକ ସେହି ପୁରୁଣା ଚୋରା ଅପରେଟିଂ ସିଷ୍ଟମକୁ ସେମାନଙ୍କ କମ୍ପ୍ୟୁଟରରେ ବ୍ୟବହାର କରୁଛନ୍ତି ଯାହାକି ସମସ୍ତ ଉଇକିପିଡ଼ିଆ ପ୍ରକଳ୍ପର ଉନ୍ନତିରେ ଏକ ବଡ଼ ବାଧା ପାଲଟିଛି । ଅଧୁନା ଓଡ଼ିଆରେ ଅନଲାଇନ ଅବଦାନ ଓ ଅନେକ ଗୁଡ଼ିଏ ଇନପୁଟ ପ୍ରଣାଳୀ ଆସିବାକୁ ଲାଗିଛି । ଅଧିକ ଲୋକ ଓଡିଆରେ ଇଇଉନିକୋଡ଼ବ୍ୟବହାର କରି ଇଣ୍ଟରନେଟରେ ଖୋଜିବା ଆରମ୍ଭ କଲେଣି । ଏହି କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆ ବହୁତ ଗୁଡ଼ିଏ ଲେଖା ଓ ପାଠକ ଦେଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାସିକ ପୃଷ୍ଠା ଦେଖା ଯାହାକି ବର୍ଷ ବର୍ଷ ଧରି ଲଗାତର କମ ଥିଲା ତାହା ୧୦୦୦ରୁ ୪,୦୦,୦୦୦ ରୁ ଅଧିକ ହେଲାଣି ଯାହା ବେଳେବେଳେ ୫,୦୦,୦୦୦ ମଧ୍ୟ ପହଞ୍ଚିଛି । ଓଡ଼ିଆ ଲେଖାଥିବା ସମସ୍ତ ୱେବସାଇଟ ମଧ୍ୟରେ ଏହା ସର୍ବାଧିକ । ଦୁଇଦିନ ଧରି ଅଧିକ ଲୋକମାନଙ୍କୁ ଆକର୍ଷିତ କଲାଭଳି ନୂଆ ପ୍ରକଳ୍ପ ସହ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମତିଥି ପାଳନ କରିଛି । ଓଡ଼ିଆ ଉଇକିଆଳିଗଣ ୨୮ ଜାନୁଆରୀରେ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଏବଂ ୨୯ ଜାନୁଆରୀରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମାସ କମ୍ୟୁ ନିକେସନ ଏହି ଦୁଇଟି ଶିକ୍ଷାନୁଷ୍ଠାନଠାରେ ଏକଜୁଟ ହୋଇ ଏଥିରେ ସାମିଲ ହୋଇଥିଲେ ।

ପ୍ରଥମ ଦିବସ

ଦେବୀପ୍ରସନ୍ନ ପଟ୍ଟନାୟକ “ଭଏସ ଇଣ୍ଟ୍ରୋ” ପ୍ରକଳ୍ପ ପାଇଁ ନିଜର ପରିଚୟ ଦେଉଛନ୍ତି

ଉଇକିପିଡ଼ିଆ ୧୦ର ପ୍ରଥମ ଦିନରେ ପାରମ୍ପରିକ ଭାବେ ଛେନାପୋଡ଼ କାଟି ବିଶିଷ୍ଟ ଭାଷାବିଦ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଓଡ଼ିଶା ଏବଂ ଏହାର ଆଖପାଖ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ଥିବା ୬୨ଟି ଆଦିବାସୀ ଗୋଷ୍ଠୀମାନଙ୍କ ବାବଦରେ ଲେଖା ଯୋଗାଡ଼, ନଥିପତ୍ର ସଂଗ୍ରହ ଏବଂ ନୂଆ ଉଇକିପିଡ଼ିଆ ପ୍ରକଳ୍ପ ଗଠନ ପାଇଁ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ସୋସିଆଲ ସାଇନ୍ସେସ (KISS) ଓ ସେଣ୍ଟର ଫର ଇନ୍ତରନେଟ ଏଣ୍ଡ ସୋସାଇଟି (CIS) ସହ କିଛି ଦିନ ପୂର୍ବେ ଏକ ସହବନ୍ଧନ ସ୍ୱାକ୍ଷରିତ ହୋଇଛି । ପ୍ରାଥମିକ ସୋପାନରେ ବିଜ୍ଞାନ, କଳା ଏବଂ ବାଣିଜ୍ୟରେ ସ୍ନାତକ କରୁଥିବା କିଛି ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ କର୍ମଶାଳା ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଏହି ଶିକ୍ଷାନୁଷ୍ଠାନରେ ଥିବା ମଦର ଟଙ୍ଗ ବେସ୍‌ଡ ମଲ୍ଟିଲିଙ୍ଗୁଆଲ ଲ୍ୟାବ ପାଇଁ ମିଳିତ ଭାବେ ଆଦିବାସୀ ଭାଷାଗୁଡ଼ିକର ଉନ୍ନତି ପାଇଁ ଏକ ପୋଷକ ହୋଇ ପାରିବ । ଡ. ପଟ୍ଟନାୟକ ଏହି ଅବଦାନକାରୀ ମାନଙ୍କ ସହ କଥା ହୋଇ ଭାଷାର ଅନଲାଇନ ଉପସ୍ଥିତି ଏବଂ ନଥିପତ୍ର ତିଆରି କରିବାର ଆବଶ୍ୟକତା ବିଷୟରେ ବଖାଣିଥିଲେ । ଜନସମ୍ମିଳନୀର ସାଧାରଣ ସମ୍ପାଦକ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସୁବ୍ରତ ପୃଷ୍ଟି ସଭ୍ୟ ମାତୃଭାଷାରେ କିଛି ଶବ୍ଦର ବିଲୁପ୍ତି, ଅପବ୍ୟବହାର ଏବଂ ମିଳିତ ଭାବେ ଲୁପ୍ତ ଭାଷାଗୁଡ଼ିକରର ଉନ୍ନତି ବିଷୟରେ ସୂଚନା ଦେଇଥିଲେ, ଏହାଛଡା ସେ ଓଡ଼ିଆ ଉଇକିପିଡ଼ିଆ ସହ ୫୦୦୦ ଶବ୍ଦ ଥିବା ଏକ ଅଭିଧାନ ଖୋଲା ଲାଇସେନ୍ସରେ ବିତରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଡ. ପଟ୍ଟନାୟକଙ୍କ ନିଜ ପରିଚୟକୁ ରେକର୍ଡିଙ୍ଗ କରି ଓଡ଼ିଆ ଉଇକିଆଳି ଭାରତରେ ପ୍ରଥମ ଭାବେ “ଭଏସ ଇଣ୍ଟ୍ରୋ” ପ୍ରକଳ୍ପ ଆରମ୍ଭ କରିଥିଲେ । ଓଡ଼ିଆ ଉଇକିଆଳିମାନେ କିସର ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ସହ ଉଇକିପିଡ଼ିଆ ସମ୍ପାଦନା କରିବା ଦ୍ଵାରା ସେମାନଙ୍କ ଜ୍ଞାନର ବିକାଶରେ ପଡ଼ିଥିବା ପ୍ରଭାବ ବିଷୟରେ ଅଲୋଚନ କରିଥିଲେ ।

ଦ୍ଵିତୀୟ ଦିବସ

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ମାସ କମ୍ୟୁନିକେଶନ, ଢେଙ୍କାନାଳଠାରେ ଉଇକିପିଡ଼ିଆ ୧୦ ପାଳନ ଅବସରରେ ଛେନାପୋଡ଼ କଟା

ଉଇକିପିଡିଆ ୧୦ର ଦ୍ଵିତୀୟ ଦିନ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ମାସ କମ୍ୟୁନିକେଶନ(IIMC), ଢେଙ୍କାନାଳଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ମାନେ ଏକାଧିକ କର୍ମଶାଳାମାନଙ୍କରେ ଆଗରୁ ଭାଗ ନେଇଥିଲେ ସେମାନେ ସେହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଶିଷ୍ଟ ଟିଭି ଏବଂ ଖବରକାଗଜ ସାମ୍ବାଦିକ ସମ୍ପଦ ମହାପାତ୍ର ପାରମ୍ପରିକ ଭାବେ ଦୀପ ଜଳାଇ ଏବଂ ଛେନାପୋଡ଼ କାଟି ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ । କିପରି ମିଡ଼ିଆ ଉଇକିପିଡ଼ିଆ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରନ୍ତି ଏବଂ ଆଞ୍ଚଳିକ ଭାଷାରେ ଉଇକିପିଡ଼ିଆର ଉନ୍ନତି ଅଧିକ ମିଡ଼ିଆ ବିଭାଗରେ ଅଧିକ ଚାକିରୀ ସୃଷ୍ଟି କରିବା ତାହା ବର୍ଣ୍ଣନା କରିଥିଲେ । ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ପ୍ରଫେସର ଡ. ମୃଣାଳ ଚାଟ୍ଟାର୍ଜୀ କିପରି ଜ୍ଞାନ ଆହରଣ କରିବା ଧୀରେ ଧୀରେ ଇଣ୍ଟରନେଟରେ ଖୋଜିବା ଆଡ଼କୁ ବଢୁଛି ତାହା କହିଥିଲେ । ସେ ବିଭିନ୍ନ ଉପାୟ କହିଥିଲେ ଯାହାଦ୍ୱାରା ଆଞ୍ଚଳିକ ଭାଷା ପାଇଁ ଅଧିକ ଅନଲାଇନ ଲେଖା ଆସିପାରିବ ଏବଂ ଏହା ଜ୍ଞାନର ବିକାଶରେ ସାହାଯ୍ୟ କରିବ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ସଚିବ ଶ୍ରୀମତୀ ଉଷା ପାଢ଼ୀ, ଅଧିକ ସମ୍ପାଦନା କରିଥିବା ଉଇକିଆଳି ମାନଙ୍କୁ ପୁରସ୍କୃତ କରିଥିଲେ । ସେ ପରେ ମିଡ଼ିଆର ସମାଜ ବିକାଶରେ ଭୂମିକା ଏବଂ ଖୋଲା ଜ୍ଞାନକୋଷ ଜ୍ଞାନ ବିକାଶରେ କିପରି ସହାୟକ ହୋଇଥାଏ ତାହା କହିଥିଲେ ।

ଟିପ୍ପଣୀ:

— ଓଡ଼ିଆ ଉଇକିଆଳି ଜ୍ଞାନରଞ୍ଜନ ସାହୁ, ମୃତ୍ୟୁଞ୍ଜୟ କରଶୁଭାଶିଷ ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର, ଆକ୍ସେସ ଟୁ ନଲେଜ, ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (CIS-A2K)ଙ୍କ ଦ୍ଵାରା ଲିଖିତ

2014-02-03: Edited to add Odia translation

Archive notice: This is an archived post from blog.wikimedia.org, which operated under different editorial and content guidelines than Diff.